ବହୁ ପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୫ରେ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଅପରାହ୍ନ ୨ଟା ୫୫ରେ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ଶେଷ ହେଲା ପରେ ଏହାକୁ ସିଲ୍ କରିଦିଆଯାଇଛି। ତାପରେ ଦୁଇଟି ତାଲା ଲଗାଯାଇଛି। ଏହି ତାଲାଗୁଡ଼ିକର ଚାବି ଟ୍ରେଜେରିରେ ରଖାଯିବ। ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପରବର୍ତ୍ତୀ ସମୟରେ ବାହାର ରତ୍ନଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତର କରାଯିବ।
ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭକ୍ତମାନଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣମଣ୍ଡପକୁ ପ୍ରବେଶ ବାରଣ କରାଯାଇଥିଲା। ଏହି ସମୟରେ ଭକ୍ତମାନଙ୍କର ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଣେ ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ୱାଭାବିକ ହୋଇଛି।












Leave a Reply