ନୂଆପଡ଼ା ବିଜୟ ପରେ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଅକ୍ଷର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ କସରତ ଶେଷ ହୋଇଛି । ସବୁ ଅପେକ୍ଷାର ଅନ୍ତ ଘଟିଛି । ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି । ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି । ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି । ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ସରଛି ।

ନୂଆପଡ଼ା ବିଜୟ ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସୋଶାଲ ମିଡ଼ିଆ ଆକାଉଣ୍ଟରେ ସେ ଲେଖିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି । ନୂଆପଡ଼ାବାସୀ ବିରୋଧୀ ଦଳମାନଙ୍କର ଅପପ୍ରଚାର ଓ ମିଥ୍ୟା ପ୍ରତିଶୃତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିକାଶକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଁ ନୂଆପଡ଼ାର ପ୍ରତ୍ୟେକ ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବାସହ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

ଏହା ସହ, ଏହି ବିଶାଳ ବିଜୟ ପାଇଁ ମୁଁ ଆମ ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଆଜି ଆମ ଦେଶରେ ମୋଦୀଜୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା । ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି । ନୂଆପଡ଼ାବାସୀଙ୍କ ସମର୍ଥନ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି । ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ ଆମେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)