ଅକ୍ଷର ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥ ଖଳା । ଜୋର୍ସୋର ଆଗେଇ ଚାଲିଛି ବିଶ୍ୱ ନିଅନ୍ତାଙ୍କ ରଥ ନିର୍ମାଣ । ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ବିଧି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ କରାଯାଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ ଭୁଞ୍ଜା ଯାଇଥିଲା । ସକାଳ ଧୂପ ସରିଲା ପରେ ରଥ ଖଳାକୁ ଠାକୁରଙ୍କ ଆଜ୍ଞା ମାଳ ବିଜେ ହୋଇଥିଲା । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନଅର ସିଂହଦ୍ୱାର ସମ୍ମୁଖକୁ ଆସି ପହଞ୍ଚିଥିଲେ ।
ଏହା ପୂର୍ବରୁ ଆଗେ ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ ସହ ଯଥା ସ୍ଥାନରେ ରଖିଥିବେ । ଆଜ୍ଞାମାଳ ପହଞ୍ଚିବା ପରେ ଚକ ଓ ଅଖ ସଂଯୋଗ କରି ହରିବୋଲ ପକାଇଛନ୍ତି ସେବାୟତ । ୩ ରଥର ତିନି ମୁଖ୍ୟ ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ ଖଣ୍ଡୁଆ ପକାଇଲେ । ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିଥିଲେ । ପୁଣି ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିଥିଲେ ।
ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଚକଅଖ ଡେରା ନୀତି କରାଯାଏ । ସକାଳ ଧୂପ ପରେ ମହାପ୍ରଭୁଙ୍କ ତିନିବାଡରୁ ଆଜ୍ଞାମାଳ ଆସିଲେ ତିନିଗୋଟି ଅଖରେ ନାହାକା ଚକ ସଂଯୋଗ କରାଯାଏ । ଚକଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡି଼କୁ ବାହାର ରଥଖଳାର ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯାଇ ସୁରକ୍ଷିତ ରଖାଯିବ । ରଥଖଳାରେ ତିନି ରଥର ୧୯ଟି ଚକ ନିର୍ମାଣ ଶେଷ ହୋଇଛି । ରଥ ଅମିନ ତିନିରଥର ମୁହାଣ୍ଟ ଏବଂ ଜୋକା ନିର୍ମାଣ ପାଇଁ ମୁହାଁଟ ପାଇଁ ୪ ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇଛନ୍ତି । ତିନି ରଥର ମହାରଣା ସେବକମାନେ ୫ଟି ଲେଖାଏଁ ଯୋକା ଏବଂ ୪ଟି ଲେଖାଏଁ ମୁହାଁଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହ ଗତକାଲି ସୁଦ୍ଧା ତିନି ରଥର ସମସ୍ତ ସାଲ ଗୁଜ, ତୀଖଗୁଜ, ଜଳ ଯନ୍ତ୍ର, କୁଡୁକା, ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ସହ ସେଥିରେ ତିନି ଥାକିଆ ରାହା କଟା ଶେଷ କରିଛନ୍ତି ।












Leave a Reply